Unknown

 

 

 

 

 

 

 

 

 

ସପ୍ତସତୀ

ଚିନ୍ତାମଣି ମହାନ୍ତି

 

ଭକ୍ତ୍ୟୁପହାର

ପରମମାନନୀୟ,

ଉତ୍କଳସାହିତ୍ୟ-ସୁହୃଦ-ଶେଖର, ନିଖିଳ ସଦ୍ଗୁଣନିଧାନ

 

ତାଳଚେରାଧୀଶ୍ୱର ଶ୍ରୀଲ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର

 

 

ବୀରବର ହରିଚନ୍ଦନ ମହୋଦୟ ମହତ୍ସିନ୍ନିଧାନେଷୁ

ଶ୍ରୀମନ୍ମହାରାଜ,

ଶ୍ରୀଛାମୁ ଦୀନା ଉତ୍କଳ ଭାଷାର ସମୁନ୍ନତି ସାଧନରେ ସତତ ବଦ୍ଧପରିକର । ସ୍ୱଭାବତଃ ତାଳଚେର ଉତ୍କଳର ବିଦ୍ୟାନଗରୀ; ଅଧିକନ୍ତୁ ଶ୍ରୀଛାମୁଙ୍କ ଶୁଭାବିର୍ଭାବରେ ସମ୍ପ୍ରତି ତାହା ସାରସ୍ୱତ ମହାତୀର୍ଥ ହୋଇଅଛି । ଶ୍ରୀଛାମୁ ରାଜଧାନୀରେ ସାହିତ୍ୟ ସମାଲୋଚନା ସମିତି ସ୍ଥାପନ କରି ମାର୍ଜିତ ରୁଚିସିଦ୍ଧ ସତ୍‌ସାହିତ୍ୟ ଚର୍ଚ୍ଚାର ପଥ ପ୍ରଦର୍ଶନ କରିଅଛନ୍ତି । ସେଥିସକାଶ ଉତ୍କଳସାହିତ୍ୟ, ତଥା ଉତ୍କଳ ସାହିତ୍ୟସେବୀମାତ୍ରେ ଶ୍ରୀଛାମୁରେ ଚିରକୃତଜ୍ଞ । ସେହି କୃତଜ୍ଞତାର ନିଦର୍ଶନସ୍ୱରୁପ ମୁଁ ଏହି “ସପ୍ତସତୀ” ପୁସ୍ତିକା ଖଣ୍ଡି ଶ୍ରୀଛାମୁଙ୍କ ଦାନ-ପୂତ କର–କମଳରେ ଅନ୍ତଃକରଣର ଅନ୍ତଃସାରନିହିତ ଭକ୍ତସହ ସମର୍ପଣ କଲି । ଏହି ଅକିଞ୍ଚିତ୍‌କର ହେଲେ ମଧ୍ୟ ଭକ୍ତିପ୍ରୀତ୍ୟନୁପ୍ରାଣିତ ହେତୁ ଶ୍ରୀଛାମୁରେ ଗୃହୀତ ହେବ ବୋଲି ସମ୍ପୂର୍ଣ୍ଣ ଭରସା ।

ଇଚ୍ଛାପୁର

ଶ୍ରୀଛାମୁଙ୍କର

୨୩ ।୧୨। ୧୨      

କୃପାଭିଳାଷୀ

 

ଶ୍ରୀ ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

ଅହଲ୍ୟା

 

ଶିଖାଅ ମା ମାତୃଭାଷା ଦାସେ କୃପା ବହି

ସାରସ୍ୱତ ମହାବୀଣା ମଧୁର ବାଦନ,

ଧରିଛି ସେ ବୀଣା ମୁହିଁ ବାଇବା ଆଶୟେ,

ଦେବି ! ହାତ ଧରି ତୁମ୍ଭେ ନ ଦେଲେ ଶିଖାଇ

କିପରି ବାଇବ ତାହା ଅଧମ ସେବକ ?

ପୂଜିବାକୁ ଇଚ୍ଛା ମୋର ସଦା ତୁମ୍ଭ ପାଦ,

କିନ୍ତୁ ମୁ ଅକ୍ଷମ ଦେବି ! ନାହିଁ ଯେଣୁ ମୋର

ତବ ପୂତ ପାଦ-ପୂଜା-ଯୋଗ୍ୟ ଶକ୍ତି, ଦ୍ରବ୍ୟ,

ତେଣୁ କର ଯୋଡ଼ି ମାତଃ ! ମାଗୁଅଛି ପଦେ

ଏ ଭିକ୍ଷା କାତରେ, ଦେବି ! ଦିବ୍ୟରତ୍ନମୟୀ,

କି ରତ୍ନ ଅଭାବ ତବ ଅକ୍ଷୟ ଭଣ୍ଡାରେ ?

ପ୍ରଦାନିଲେ କିଞ୍ଚିତ ମା ସେହି ରତ୍ନ ଦାସେ,

କରିବ ନିର୍ବାହ ତହିଁ ପୂଜା ସେ ତୁମ୍ଭର,

ଲକ୍ଷ୍ମୀଙ୍କି ପୂଜନ୍ତି ସିନା ଲକ୍ଷ୍ମୀଦତ୍ତ ଧନେ ।

କୁହୁକିନୀ ମାୟା ଯଥା ତ୍ରେତାରେ ଶ୍ରୀରାମ

ଦେଖାଇଲା ପ୍ରେତପୁରୀ, ସତୀ ସଶରୀରେ,

ତଥା ଗୋ ଜନନୀ, ଦାସେଦେଖାଅ ସତ୍ୱର

ଭବ-ଯବନିକା ପାରେ ସତ୍ୟ ସତୀଲୋକେ,

ନିବସନ୍ତି ଯହିଁ ଆର୍ଯ୍ୟ ପତିବ୍ରତାକୁଳ,

ଭାରତ-ରମଣୀ-ରତ୍ନ-ଗର୍ବ-ଗଣ୍ଠିଧନ,

ବିସ୍ତାରିଣ ସମୁଚ୍ଛ୍ୱଳ ପ୍ରଭା, ଚନ୍ଦ୍ର ଯଥା

ନିଶାକାଳେ ମେଦୀମୁକ୍ତ ସ୍ୱଚ୍ଛ ନଭସ୍ତଳେ,

ଚାଲ ମାତଃ ସେହି ସ୍ଥାନେ, ସଙ୍ଗେ ଘେନି ଦାସେ,

ଭେଟାଅ ତାହାକୁ ନେଇ ସତୀ ପଦତଳେ,

ଗାଇବ ସେ ସତୀଗାଥା କରିଅଛି ଶାଦ,

ମେଣ୍ଟାଅ ସେ ଶାଦ ତାର ଏ ଅଳି ଶ୍ରୀପଦେ l

ପ୍ରଭାତେ ପ୍ରତ୍ୟହ ସ୍ମରେ ତୁମ୍ଭଙ୍କୁ ତାପସୀ

ଅହଲ୍ୟେ, ତପସ୍ୟା ଧନ୍ୟ ତୁମ୍ଭର, ସ୍ୱଗୁଣେ

ଗୋ ସତି ! ବିଦିତ ତୁମ୍ଭେ ନାକେ, ନାଗେ, ନରେ,

ତୁମ୍ଭର ପାପଘ୍ନ ନାମ ହୋଇଛି ଗ୍ରଥିତ

ପ୍ରାତଃସ୍ମରଣୀୟ ମନ୍ତ୍ରେ, ଆଦ୍ୟେ, ନିତ୍ୟ ନରେ

ପ୍ରାତେ ତାହା ଘୋଷୁଛନ୍ତି ଅକଳିତ କାଳୁ

ମାହାପାପ ବିନାଶାର୍ଥେ, କିନ୍ତୁ ଦେବି, ଧିକ୍

ଦେବରାଜ ଶତ୍ରେ, ଧିକ୍ ! ଦେବଦେହ ବହି

ପାଶବ ବେଭାରେ ତାଙ୍କ (ଅତି ନିନ୍ଦନୀୟ),

ଗୁରୁପତ୍ନୀ ତୁମ୍ଭେ ତାଙ୍କ ଜନନୀସ୍ଥାନୀୟା,

ନ ବିଚାରି ଏହା, ଅହୋ ! କେଡ଼େ ମହାପାପ

(ଧର୍ମଶାସ୍ତ୍ରେ ନାହିଁ ଯାର ପ୍ରାୟଶ୍ଚିତ୍ତ ବିଧି)

ଆଚରିଲେ ସୁନାସୀର ! ସ୍ମରିଲେ ସେ କଥା

ବିସ୍ମୟେ ଟାଙ୍କୁରିଉଠେ ଦେହେ ରୋମାବଳୀ ।

ଶୋଭାବତୀପଣେ ତୁମ୍ଭେ ଶୋଭାର ଉପାସ୍ୟା,

ତବ ରୂପ ତୁଳନାରେ, ହେବ ନାହିଁ ରତି

ରତିଏ କଦାପି, ଇନ୍ଦ୍ର ବିମୋହି ସେ ରୂପେ

ଜର ଜର ହେଲେ ତୀକ୍ଷ୍‌ଣ ଫୁଲଶର ଶରେ ।

ତହୁଁ ଧରି ଗୌତମଙ୍କ ସ୍ୱରୂପ କପଟେ

ମାଗିଲେ ତୁମ୍ଭଙ୍କୁ ଦେହଭିକ୍ଷା, ସ୍ୱଭାବତଃ

ନିଷ୍କପଟା ତୁମ୍ଭେ, ଯେଣୁ ସମର୍ପିଛ ଆଗୁଁ

ବଳିରୂପେ ଯଜ୍ଞାନଳେ କପଟ କୁଭାବେ

ତେଣୁ ନ ପାରିଲ ଭେଦି ଦେବମାୟା, କଲ

ତାଙ୍କ ଆଜ୍ଞା ଶିରୋଧାର୍ଯ୍ୟ, ପତି ଆଜ୍ଞା ମଣି ।

ଶୁଣିଲେ ଏ ମହାପାପ, ଥାଉ ଆନ କଥା

ନ ରୋଧିବ କର୍ଣ୍ଣପଥ କେବଣ ନାରକୀ ?

ଏଡ଼େ ପାପାଚାରୀ ସତି ! ସତେ କି ଗୋ ଦେବେ ?

ଯେହୁ ଦେବଙ୍କର ନେତା, ତାଙ୍କ ଏ ଅନୀତି

ସ୍ୱଜାତୀୟ ଉପରୋଧେ କ୍ଷମିଥିବେ ଦେବେ,

ସହିଲା କିରୂପେ ମାତ୍ର ପବିତ୍ରା ଅମରା ?

ନିଜେ ବୁଡ଼ି ସେ ଅଧୌତ କଳଙ୍କ କଳାରେ

ଦେବକୁଳେ କଳଙ୍କିତ କଲେ ଆଖଣ୍ଡଳ,

ବୋଳିଲେ ସେ କାଳି ପୁଣି ତୁମ୍ଭରି ବଦନେ !

ଏଡ଼େ ବଡ଼ ମହାପାପ କ୍ଷମିଲ ତାଙ୍କର

ତୁମ୍ଭେ, କ୍ଷମାଶୀଳେ, ଧନ୍ୟ କ୍ଷମାଗୁଣ ତବ !

ଇଚ୍ଛିଥିଲେ ସତି ! ତୁମ୍ଭେ, ତୀବ୍ର ଶାପାନଳେ

ପାରିଥାନ୍ତ ଦହି ଇନ୍ଦ୍ରେ, କିନ୍ତୁ ତପସ୍ୱିନି !

କ୍ଷାନ୍ତ ହେଲେ ପୂର୍ବାର୍ଜିତ ତପୋଭଙ୍ଗ ଭୟେ,

ପ୍ରଧାନ ତପସ୍ୟା ସିନା ଶମ, ଦମ, କ୍ଷମା,

ଆଚରିଲ କ୍ଷମା ତୁମ୍ଭେ, ମାତ୍ର ନ କ୍ଷମିଲେ

ଗୌତମ, (ମହର୍ଷିକୁଳ-ଗୌରବ-କେତନ)

ପତି ତବ, ପ୍ରଦାନିଲେ ସେହୁ ମହାଶାପ

ଇନ୍ଦ୍ରେ, ସେହି ଘୋର ଶାପେ, ବହିଲେ ମଘବା

ଶରୀରେ ବୀଭତ୍ସ ଚିହ୍ନ ନିଜ କର୍ମଦୋଷେ,

ଲଜ୍ଜାଭରେ ହେଲେ ଇନ୍ଦ୍ର ଅବନତ ଶିର ।

ଇନ୍ଦ୍ରେ ଅଭିଶାପି ପୁଣି ଶାପିଲେ ଗୌତମ

ତୁମ୍ଭଙ୍କ ଅଦୋଷେ, ଅହୋ କେଡ଼େ ଅବିଚାର !

ସେ ଶାପେ ଅହଲ୍ୟେ ! ତୁମ୍ଭେ ହେଲେ ଗୋ ପାଷାଣୀ,

ଦଣ୍ଡିଲେ ଅଦୋଷେ ଧବ ତବ, ଗ୍ରହିଲ ତା

ନୀରବେ ସୁନ୍ଦରି ! ସତି ! ଶିଖିବେ କି ତବ

ଏ ସଦ୍‌ଗୁଣ, ଆଧୁନିକ ଭାରତ-ଲଳନା

ତୁମ୍ଭରି ବଂଶୀୟା ? (ହାୟ, ଏବେ ଅଭାଗିନୀ)

ଦେଖ ଆସି ବାରେ ଦେବି ତ୍ରିଦିବୁ ଓହ୍ଲାଇ,

ତୁମ୍ଭ ଜନ୍ମତୀର୍ଥେ ସେହି ପବିତ୍ର ଭାରତେ,

ତୁମ୍ଭ ପରି ନାରୀରତ୍ନ ନାହାନ୍ତି ଗୋ ଆଉ !

ସେହି ମଣିଖଣି ଏବେ ହୋଇଅଛି ଆହା

ଦେବି ! ଶ୍ମଶାନର ଚୁଲ୍ଲି, (ଦୈବଦୁର୍ବିପାକେ)

ରହିଛି ସେ ପୂର୍ଣ୍ଣ ସଦା ପାଉଁଶେ କେବଳ ।

ନାହିଁ ସେ ତିତିକ୍ଷା, ଧୈର୍ଯ୍ୟ, ନାହିଁ ସହିଷ୍ଣୁତା,

ନାହିଁ ସ୍ୱଧର୍ମରେ ନିଷ୍ଠା, ରମଣୀକୁଳର,

ସବୁ ଯାଇଅଛି, ଖାଲି ଆହାର, ଶୟନ,

ଗୃହକର୍ମ, ଈର୍ଷା ପୁଣି ଅଳଙ୍କାରସ୍ପୃହା ।

ରହିଛନ୍ତି ସର୍ବେ ସ୍ୱୀୟ ଯୋଗ୍ୟତା ଅଭାବେ

ଜଡ଼ତା-ଜଡ଼ିତ, ଅହୋ ! ଅଭିଶପ୍ତା ପ୍ରାୟ ।

ଅହଲ୍ୟେ ! ଘୁଞ୍ଚିଲା ଯଥା ଜଡ଼ତା ତୁମ୍ଭର

ସ୍ପର୍ଶି ରାମପାଦ, ତଥା ଘୁଞ୍ଚିଯାଉ ଖରେ

ନବଯୁଗୋନ୍ମତି ସ୍ପର୍ଶେ ଅଜ୍ଞାନ, ଜଡ଼ତା,

ଅଭାଗିନୀ ଭାରତୀୟ ଲଳନାକୁଳର,

କର ଦେବି ! ଦିବ୍ୟଧାମୁଁ ଏହି ଆଶୀର୍ବାଦ,

ସତୀ ଆଶୀର୍ବାଦ କେବେ ନୋହିବ ବିଫଳ ।

 

ଦ୍ୱିତୀୟ ସର୍ଗ

ଦ୍ରୌପଦୀ

 

ତ୍ରିବାର ସ୍ୱାଗତ ଦେବୀ ସତୀକୁଳରାଣୀ

ଯାଜ୍ଞସେନି ! ଧନ୍ୟ ତବ ସତୀତ୍ୱ ମହିମା !

ପୂର୍ବ ଶାପେ ଧରି ସୁଦ୍ଧା ପଞ୍ଚପତି କର,

ବସିଅଛି ଅଧିକାରି ସତୀ-ସିଂହାସନେ l

ଯଜ୍ଞାନଳକନ୍ୟେ ! ତବ ସତୀତ୍ୱର ତେଜ

ମନ୍ତ୍ରପୁତ ଯଜ୍ଞାନଳ ପ୍ରାୟ, ପଡ଼ି ତହିଁ

କୁରୁନାହା ଦୁର୍ଯ୍ୟୋଧନ ଭ୍ରାତୃମିତ୍ର ସହ

ହେଲା ଭସ୍ମୀଭୂତ, ଦୁଷ୍ଟ ଅକାଳେ, ସ୍ୱଦୋଷେ l

ପତିବ୍ରତେ ! ହୋଇ ତୁମ୍ଭେ ପାଣ୍ଡବ-ସମ୍ରାଟ-

ପାଟରାଣୀ, ସହିଲ ଗୋ କେତେ ଯେ କଷଣ

ଅସହ୍ୟ, ଦାରୁଣ, ଅହୋ ! ଶୁଣିଲେ ସେ କଥା

ହେବ ଦ୍ରବୀଭୂତ ସୁଦ୍ଧା ଅଜୀବ ପାଷାଣ l

ଯେ କାଳେ କପଟଦ୍ୟୂତେ ହାରି ରାଜ୍ୟ ଧନ

ଧର୍ମରାଜ ଯୁଧିଷ୍ଠିର ଭ୍ରାତୃପତ୍ନୀ ସହ,

ବସିଥିଲେ ସଭାତଳେ କିଙ୍କର ସ୍ୱରୂପେ

ଲଜ୍ଜାଭରେ ମଥା ପୋତି ବିଷଣ୍ଣ ବଦନେ,

ସେ କାଳେ ଗୋ ସତି ! ଥିଲ ତୁମ୍ଭେ ଅନ୍ତଃପୁରେ

ରଜସ୍ୱଳା ହେତୁ ଆହା ଏକବସ୍ତ୍ରା ହୋଇ,

ଧିକ୍ ଧିକ୍ ଦୁଃଶାସନେ (କୁରୁକୁଳଗ୍ଳାନି)

ଦୁଷ୍ଟଭ୍ରାତୃନିୟୋଜନେ, ମିଳି ତହିଁ ଦୁଷ୍ଟ

ଆଣିଲା ତୁମ୍ଭଙ୍କୁ ହାୟ ଧରଷି ନାରକୀ

କରଷି କୁନ୍ତଳ ତବ, କର୍କଶ ପାଣିରେ !

ସଭା ମଧ୍ୟେ ବିବସନ କରିବା ଆଶୟେ;

କିନ୍ତୁ ହେଲା ନାହିଁ କୃଷ୍ଣେ ! ଇଷ୍ଟ ସିଦ୍ଧି ତାର,

ମୂର୍ତ୍ତିମନ୍ତ ହୋଇ ତବ ସତୀତ୍ୱ ଧରମ

ସେ କାଳେ, ରଖିଲା ଦେବୀ ତୁମ୍ଭଙ୍କୁ ସେ ଘୋର

ପ୍ରମାଦୁ, ଲଜ୍ଜାରୁ । ପାପୀ ଓଟାରିଣ ବାସ

ତବ ଅଙ୍ଗ ନ ପାରିଲା ଶେଷ କରି, ଅହୋ

ଖଣ୍ଡକ ପଛରେ ଖଣ୍ଡେ ରହିଥାଏ ଜଡ଼ି,

ଓଟାରି ଓଟାରି ଦୁଷ୍ଟ ପଡ଼ିଲାକ ଥକି l

ସତି, ତୁମ୍ଭ ସତୀତ୍ୱର ଚାକ୍ଷୁଷ ମହିମା,

ବିଲୋକି ସେ କାଳେ ଭୀଷ୍ମ, ଦ୍ରୋଣ, ବିଦୁରାଦି

ସଭାଜନେ, ହେଲେ ସର୍ବେ ବିସ୍ମୟେ ଅବଶ !

ବହିଗଲା ତବ ନାମେ ଧନ୍ୟବାଦ ସ୍ରୋତ l

ଗୁରୁ ଆଗେ ଜ୍ୟେଷ୍ଠ କୁରୁ ଦେଖାଇଣ ଊରୁ

ତୁମ୍ଭଙ୍କୁ, ନାରକୀ ହେଲା ହତଶ୍ରୀ, ଆବର

କ୍ଷୀଣାୟୁ, ସେକାଳେ ବୀର ପବନ-ନନ୍ଦନ,

(ଅମିତ ତେଜସ୍ୱୀ ଭୀମ, ରଣେ ଚିରଜୟୀ)

ନ ପାରିଣ ସହି ସ୍ୱୀୟ ପତ୍ନୀର ଲାଞ୍ଛନା,

ଉଠିଲେ ହୁଙ୍କାରି, ଖରେ ବୁଲାଇଣ ଡୋଳା,

ସେ ରୁଦ୍ର ହୁଙ୍କାରେ ଭୟେ ଥରିଲା ଅବନୀ,

ଥରିଲା ହସ୍ତିନାପୁରୀ ଥର ଥର ହୋଇ,

ମହାତ୍ରାସେ ସଭାଜନେ ଗଣିଲେ ପ୍ରମାଦ l

ଜଳଦଗମ୍ଭୀର ସ୍ୱରେ କହିଲେ ପାବନି,-

“ଆରେ କୁରୁକୁଳାଙ୍ଗାର କ୍ରୂର ଦୁର୍ଯ୍ୟୋଧନ”

ଘେନିଲି ଏ ଋଣ ତୋର, କଳନ୍ତର ସହ

କରିବି ରେ ପରିଶୋଧ ନିଶ୍ଚେ ନିଶ୍ଚେ ପାପି,

ଅଦୂର ଦିବସେ, ନହିଁ ଅଗ୍ରଜ ଆଦେଶ,

ନତୁବା କରନ୍ତି ଶୋଧ ଏବେ ମୂଳେ ମୂଳେ l

ଶୁଣ ମୋ ପ୍ରତିଜ୍ଞା ଦୁଷ୍ଟ ! ଗୁରୁ ଗଦାଘାତେ

ତୋର ଏ ପୃଥୁଳ ଊରୁ, ଭାଙ୍ଗି ଅବହେଳେ

ପେଷିବି ଦୂରକ୍ତ ତୋତେ କୃତାନ୍ତ ଭବନେ,

ସତ୍ୟ ସତ୍ୟ ସତ୍ୟ ଏହା ସତ୍ୟ ସପ୍ତବାର l”

ଦେବି ! କୁରୁକ୍ଷେତ୍ର-ରଣେ, ପାଳିଥିଲେ ଭୀମ

ଯଥାକାଳେ ଏ ପ୍ରତିଜ୍ଞା, ଅତୀବ କଠୋର ।

ଏଥୁଅନ୍ତେ ଦୁଃଶାସନେ ଚାହିଁ ବୃକୋଦର

ବୋଇଲେ, “ବର୍ବର ! ତୋର ଏଡ଼େକ ଗରିମା

ଶ୍ୱାନ ହୋଇ ଆକର୍ଷିଲୁ କେଶରିଣୀ କେଶ !

ଯୁଧିଷ୍ଠିର ହେତୁ କ୍ଳୀବ ଏବେ ମୁହିଁ, ନତୁ

ଛିଣ୍ଡାନ୍ତି ତୋ ମୁଣ୍ଡ ଏକ ବ୍ରହ୍ମଚାପୁଡ଼ାରେ ।”

କହୁଁ କହୁଁ ଏହା କ୍ରୋଧ ବଢ଼ିଲା ପ୍ରଖରେ

ପ୍ରଳୟ ଅନଳ ପ୍ରାୟ, ହେଲା ବହିର୍ଗତ

ନୟନୁ ସ୍ପୁଲିଙ୍ଗରାଶି, ନାଚିଲା ଉତ୍‌ଫୁଲ୍ଲି

ଲଲାଟେ ତ୍ରିବଳୀ ରେଖା, ଦନ୍ତ କଡ଼ମଡି

କହିଲେ ଏସନ ବୀର କର୍କଶ ବଚନେ,

“ରହିଲା ପ୍ରତିଜ୍ଞା ମୋର, ରେ ଦୁରନ୍ତ ଦୁଃଶା,

ବିଦାରି ତୋ ବକ୍ଷ ଦଶନଖେ, ରଣସ୍ଥଳେ,

କରିବି ରୁଧିର ପାନ, ବାନ୍ଧିବିରେ ପୁଣି

ସେହି ରକ୍ତଲିପ୍ତ ହସ୍ତେ ଯାଜ୍ଞସେନୀ କେଶ,

ଯାବତ ନୋହିବ ପୂର୍ଣ୍ଣ ଏ ପ୍ରତିଜ୍ଞା ମୋର,

ତାବତ ଦ୍ରୌପଦୀ କେଶ ଥିବ ମୁକୁଳିତ ।”

ଅବ୍ୟର୍ଥ-ପ୍ରତିଜ୍ଞ ଭୀମ, କୁରୁକ୍ଷେତ୍ର ରଣେ

ପୂର୍ଣ୍ଣ କଲେ ଏ ପ୍ରତିଜ୍ଞା ଦୁରୁହ, କଠୋର ।

ବନେ ବନେ ବାର ବର୍ଷ ବୁଲି ଗୋ ପାଞ୍ଚାଳି !

ପଞ୍ଚପତି ସହ, କେତେ ଭୁଞ୍ଜିଲ କଷଣ,

ବର୍ଷେ କାଳ ପୁଣି ଆହା ବିରାଟ ନଗରେ

କ୍ଷେପିଲ ଅଜ୍ଞାତବାସେ ସୈରିନ୍ଧ୍ରୀ ବେଶରେ,

ହୋଇ ରାଜକନ୍ୟା, ରାଜରାଣୀ (ଅହୋ ! କେଡ଼େ

ଦୁର୍ବିପାକ) ଖଟିଲ ଗୋ ସୁଦେଷ୍ଣା ଛାମୁରେ !

ଆହା ! କି ନ କରେ କାଳ ? ଦିଏ ସୁଖ ସେହୁ,

ପ୍ରତିକୂଳେ ଆଣେ ପୁଣି ଦାରୁଣ କଷଣ,

କାଳର ଅବ୍ୟର୍ଥ ଦାନ ସୁଖଦୁଃଖ ସିନା ।

ବିରାଟ ଶ୍ୟାଳକ ନୀଚ କୀଚକ ଦୁର୍ମତି

କଲା ପରାଭବ ସତି ! ତୁମ୍ଭଙ୍କୁ ସଭାରେ

ସେବିକା ସୈରିନ୍ଧ୍ରୀଜ୍ଞାନେ, ମଣି ଅହୋ ମୂଢ଼

ପ୍ରଚ୍ଛନ୍ନ ପାବକେ ତୁଚ୍ଛ ଶୀତଳ ପାଉଁଶ,

କଲା ପଦାଘାତ ତହିଁ, ମାତ୍ର ପରକ୍ଷଣେ

ଭୁଞ୍ଜିଲା ଉତ୍କଟ ତାର ଯୋଗ୍ୟ ପ୍ରତିଫଳ ।

ନାରୀ ରୂପ ଧରି ଭୀମ ବିଜନ କକ୍ଷରେ,

ବଧିଲେ ଜୀବନ ତାର ଅତି ସଂଗୋପନେ

ଅସ୍ୱାଭାବୀରୂପେ ପୁଣି, ଲଭିଲା ପାତକୀ,

ହାତେ ହାତେ ପ୍ରତିଫଳ ସତୀଦ୍ରୋହିତାର ।

ଶୋକଶିଷ୍ୟେ ! ଜୀବନରେ ନାହିଁ ତବ ସୁଖ ?

ରୀଜପୁତ୍ରୀ, ରାଜବଧୂ, ରାଜପତ୍ନୀ ହୋଇ

କ୍ଷେପିଲ ଗୋ ଆଜୀବନ ଦୁଃଖେ ଶୋକେ କାଳ ।

କୁରୁକ୍ଷେତ୍ର ଯୁଦ୍ଧ ଅନ୍ତେ ବସି ସଂହାସନେ

ହେଉଥିଲ ଯନ୍ତ୍ରଣାରେ ଛଟପଟ ଦେବି !

ପିତୃ-ଭାତୃ-ପୁତ୍ରଶୋକେ ଦହି ନିରନ୍ତର

ମଣୁଥିଲ ରାଜାସନେ ଅଗ୍ନି-ସିଂହାସନେ

ଥିଲା ନାହିଁ ସ୍ପୃହା ତବ ତୁଚ୍ଛ ଭବସୁଖେ,

ସତି ! ମଣୁଥିଲ ତେଣୁ ବିଷୟ-ବିଭବେ

ତୀବ୍ର ବିଷପ୍ରାୟ, ଥିଲା ଲକ୍ଷ୍ୟ ତବ ସଦା

ପତିସେବା, ଦେବସେବା, ଅତିଥିସତ୍କାର,

ମଣୁଥିଲ ତାହକୁ ହିଁ ପ୍ରାଣେ ସାର ସୁଖ ।

 

ତୃତୀୟ ସର୍ଗ

କୁନ୍ତୀ

 

କି ମନ୍ତ୍ର ଶିଖିଲ ପୃଥେ ! ଅତିଥିବତ୍ସଳା

କନ୍ୟାକାଳେ ପିତୃଗୃହେ, ସେବି ମୁନିପଦ,

ସେ ମନ୍ତ୍ର ପ୍ରଭାବେ, ସୂର୍ଯ୍ୟେ କରି ଆକର୍ଷଣ,

ପ୍ରସବିଲ ତାଙ୍କ ଅଂଶୁ କାନୀନ କୁମାର-

ଅମୃତକୁଣ୍ଡଳୀ କର୍ଣ୍ଣେ, ଅକ୍ଷୟ କବଚୀ

(ଅର୍ଦ୍ଧ ମହାରଥୀ ଯେହୁ ଧରଣୀ-ମଣ୍ଡଳେ)

ବୀରମାତା ତୁମ୍ଭେ, (ମଣି ମାତା ଯଥା ଖଣି) ।

ପାଣ୍ଡୁ-ପାଟରାଣି ! ମୃଗ ମୁନି ଶାପେ ଯେବେ

ହୋଇଣ ବ୍ୟଥିତ ପତି ତବ, ଗଲେ ବନେ

ହୋଇ ରାଜ୍ୟେ ବୀତସ୍ପୃହ, ସେ କାଳେ ଗୋ ସତି,

ଗଲ ତୁମ୍ଭେ ସଙ୍ଗେ, ଯେଣୁ ପତିଗତପ୍ରାଣା,

ସମାନଭାଗିନୀ ତେଣୁ ପତି ସୁଖେ ଦୁଃଖେ,

ବିଶୟ ଐଶ୍ୱର୍ଯ୍ୟ, ଭୋଗ, ରାଜରାଣୀ ପଦ,

ନ ହେଲେ ସାହସୀ କେହି ସେ କାଳେ ତୁମ୍ଭର

ଦୃଢ଼ ମନୋରଥ ପଥେ ସାଧିବାକୁ ବାଦ ।

କେ ସମର୍ଥ ରୋଧିବାକୁ ରବିରଥ ଗତି ?

ହୋଇ ରାଜରାଣୀ ଆହା ! କିରାତିନୀ ପ୍ରାୟ

ବୁଲି ବନେ ବନେ, କଲ ସେ ଉତ୍କଟ ଶାପୁଁ

ପତି ପ୍ରାଣରକ୍ଷା, ସତି ! ବହୁ ଦିନଯାଏଁ

ସ୍ୱୀୟ ସାଧାରଣାତୀତ ବୁଦ୍ଧି ପ୍ରଭାବରେ ।

ସ୍ୱାମୀ ଆଜ୍ଞା ଶିରେ ଧରି, ବଂଶରକ୍ଷା ହେତୁ

ଜାତ କଲ ତିନି ପୁତ୍ର ତିନି ଦେବ ଅଂଶୁ

ଜପି ଦେବ-ଆକର୍ଷିଣୀ ମନ୍ତ୍ରେ, ଦେଇ ପୁଣି

ସେହି ମନ୍ତ୍ର ମଦ୍ରବାଳେ, (ସପତ୍ନୀ ତୁମ୍ଭର)

କଲ ପରିତ୍ରାଣ ତାଙ୍କୁ ଅପୁତ୍ରକ ଦୋଷୁ,

ଲଭିଲେ ସେ ଦେବ ଅଂଶୁ ଯମଜ ନନ୍ଦନ ।

ପ୍ରଥମ କୁମର ତବ ଜାତ ଧର୍ମ ଅଂଶୁ

ଧର୍ମରାଜ ଯୁଧିଷ୍ଠିର, ଶାନ୍ତ, ଦାନ୍ତ, ଧୀର

ସ୍ୱଧର୍ମେ, ବୈରାଗ୍ୟେ ପୁଣି ଦୟା ଦାକ୍ଷିଣ୍ୟରେ

ପଟାନ୍ତର ସେହି ଭବେ ତାଙ୍କୁହିଁ କେବଳ ।

ଲକ୍ଷସଂଖ୍ୟ ନୃପେ ସେହୁ ଶାସି ବାହୁବଳେ,

(ଶ୍ରେଷ୍ଠ ବାହୁବଳ ଯାଙ୍କ ଥଲେ ଭ୍ରାତୃବଳ)

କଲେ ରାଜସୂୟ ଯଜ୍ଞ, ଚକ୍ରବର୍ତ୍ତୀପଣେ ।

ଦ୍ୱିତୀୟ କୁମାର ପୃଥେ ! ଭୀମ ପରାକ୍ରମ-

ଭୀମ, ଜାତ ବାୟୁ ଅଂଶୁ, ବହନ୍ତି ଶରୀରେ

ବାୟୁ ସମ ଗତି, ବଳ, ସଂସାରେ ସମରେ

ନ ଅଣ୍ଟନ୍ତି କେହି ତାଙ୍କୁ । ଜାତ କରି ଦେବି !

ତୁମ୍ଭେ ସେ ନନ୍ଦନେ, ଗୁରୁଭାର ନ ପାରିଣ

ସହି, ଦେଲେ ଛାଡ଼ି, ଅହୋ ! ବାଜି ଶିଶୁଦେହ,

(କି ଅଦ୍ଭୁତ କଥା) ଗଲା ହୋଇ ଶତଚୂର

ଶତଶୃଙ୍ଗ-ଶୃଙ୍ଗ ! ଧନ୍ୟ ପ୍ରବୀର ପ୍ରସୂତି !

ଅତୁଳ ଯଶସ୍ୱୀ, ଶୂର, ଧାର୍ମିକ, ପଣ୍ଡିତ

ତୃତୀୟ କୁମାର ତବ ଅର୍ଜ୍ଜୁନ, ନିବାରି,

ତ୍ରିଦବେ ତ୍ରିଦିବ-ଅରି ନିବାତ କବଚେ,

ପ୍ରଦାନିଲେ ମର ହୋଇ ଅମରେ ଅଭୟ ।

ଦହିଲେ ଖାଣ୍ଡବ ବନ ବାସନ-ପାଳିତ

ହୁତାଶନ ଅନୁରୋଧେ, କଲେ ନିରାମୟ

ତାଙ୍କୁ ଅତିଗ୍ରାସ ରୋଗୁଁ, ହୁଅନ୍ତେ ସମର

ତହିଁ ଅମରଙ୍କ ସହ, ଯୁଝିଲେ ସେ ଧରି

ଅଗ୍ନିଦତ୍ତ ଧନୁବର ଗାଣ୍ଡୀବ ଆଖ୍ୟତ,

(ଚରାଚର ମୋହକର ଯାହାର ଟଙ୍କାର)

ଆଶ୍ରିଲେ ବିଜୟ-ଲକ୍ଷ୍ମୀ ସେ ଭୀଷଣ ରଣେ

କୁନ୍ତି ! ତବ ପ୍ରିୟ ପିୁତ୍ର ଅଜେୟ ଅର୍ଜ୍ଜୁନେ ।

ଶୁରସେନି ! କି ବର୍ଣ୍ଣିବି ଅର୍ଜ୍ଜୁନ ମହିମା,

(ନର ନାରାୟଣରୂପେ ଅବତୀର୍ଣ୍ଣ ଯେହୁ)

ବାହୁଯୁଦ୍ଧେତୋଷ ପାର୍ଥ କିରାତ ସ୍ୱରୁପୀ-

ସଦାଶିବେ, ପ୍ରାପ୍ତ ହେଲେ ପାଶୁପତ ବାଣ,

(ପ୍ରଚ୍ଛନ୍ନରେ ଅଧିଷ୍ଠିତ ଯହିଁ ସଦାଶିବ) ।

କୁରୁକ୍ଷେତ୍ର ରଣେ ଜିଣି ଭୀଷ୍ମ କର୍ଣ୍ଣ ଆଦି

ମହାରଥିବରକୁଳେ, ଜଗତେ ଦୁର୍ଜ୍ଜୟ,

ଦେଲେ ଜୟ ଯୁଧିଷ୍ଠିରେ; ସେ ପୁତ୍ର ସକାଶେ

ତ୍ରିଜଗତେ ଧନ୍ୟ ତୁମ୍ଭେ ବୋଲାଇଲ ପୃଥେ !

ମଦ୍ରରାଜ-ଦୁହିତାଙ୍କ ଯମଜ କୁମାରେ,

ପ୍ରତିପାଲିଥିଲ ତୁମ୍ଭେ ନିଜ ପୁତ୍ରୁ ବଳି

ସପତ୍ନୀ ନନ୍ଦନ ବୋଲି ନୋହି ପ୍ରତିକୂଳା ।

ଦୁଷ୍ଟ ଦୁର୍ଯ୍ୟୋଧନ ଭୟେ (କୁରୁକୁଳ-କାଳୀ)

ଶିଶୁ ପୁତ୍ରେ ଘେନି, କେତେ ଲଭିଲ ଗୋ ଦୁଃଖ

ଭ୍ରମି ବନେ ବନେ, ଆହା ! ହୋଇ ରାଜରାଣୀ,

ହେଲ କାଙ୍ଗାଳୁଣୀ, ଧନ୍ୟ ସହ୍ୟଶକ୍ତି ତବ !

ସଂସାରର ଶାତ ଉଷ୍ଣେ ମଣୁଥିଲ ସମ !

ସୁଖ ଦୁଃଖ ଆସେ ସିନା ପ୍ରକୃତି ନିୟମେ ।

ସେଥିରେ ଯାହାର ସତି ! ଥାଏ ସମ ଜ୍ଞାନ,

ସେହି ଏକା ଜୀବନ୍ମୁକ୍ତ ଭବ-କାରାଗାରୁ,

ଜନ୍ମାନ୍ତେ ତାହାର ଆଉ ନାହିଁ ଜନ୍ମାନ୍ତର ।

 

ଚତୁର୍ଥ ସର୍ଗ

ତାରା

 

ତାରା ! ସେ ବଳେ ଗୋ ତୁମ୍ଭେ ପାରୁଥିଲ ଜାଣି

ଭାବୀ, ଭୂତ, ବର୍ତ୍ତମାନ ତିନି କାଳ କଥା,

ମହା ବୁଦ୍ଧିମତୀ ତୁମ୍ଭେ ମନ୍ତ୍ରଣାନିପୁଣା ।

ତୁମ୍ଭ ସୁମନ୍ତ୍ରଣା-ଯନ୍ତ୍ରେ କିଷ୍କିନ୍ଧ୍ୟାଧିପତି

କରୁଥିଲେ ରାଜ୍ୟ-ତରୀ ସୁପରିଚାଳନ

ବିଜ୍ଞ ଯନ୍ତ୍ରୀ ପ୍ରାୟ । ସତି ! ତୁମ୍ଭ ମନ୍ତ୍ରଣାରେ

ଚିରଜୟୀ ହୋଇ ତବ ପତି ତ୍ରିଭୁବନେ,

କରୁଥିଲେ ନିଷ୍କଣ୍ଟକେ ରାଜ୍ୟଶ୍ରୀ ସମ୍ଭୋଗ ।

ମର୍କଟ-ସମ୍ରାଟ-ପାଟରାଣି ! ସତୀଟିକା,

ବୁଝାଇଲ କେତେ ତୁମ୍ଭେ ଧର୍ମଶାସ୍ତ୍ର-ନୀତି,

ପତିଙ୍କୁ ତୁମ୍ଭର ସଦା, ଦେବାକୁ ସୁଗ୍ରୀବେ

ସମୁଚିତ ରାଜ୍ୟଭାର, କିନ୍ତୁ ଗୋ ସୁନ୍ଦରି !

ଅବହେଳି ସେ କଥାକୁ ବୀରଦର୍ପେ ସେହୁ,

(ଉପେକ୍ଷେ ମୁମୂର୍ଷୁ ଯଥା ଅମୃତ ଔଷଧେ)

ଭିଆଇ ସୁଗ୍ରୀବ ସହ କୁକ୍ଷଣେ ସମର

ହାତେ ହାତେ ଲଭିଲେ ସେ ଯୋଗ୍ୟ ପ୍ରତିଫଳ

ସତୀବାକ୍ୟ ଅବହେଳି ସତୀ-ଦ୍ରୋହି-ପତି

ତବ, ଗଲେ ଯମାଳୟେ ରଘୁପତି ବାଣେ

ଅକାଳେ, କିଷ୍କିନ୍ଧ୍ୟା ରାଜ୍ୟେ କରିଣ ବିଧବା ।

ନ ପାଳି ବଚନ ତବ ମହାବଳୀ ବାଳୀ

କରିଥିଲେ ଅନୁତାପେ ଅନ୍ତିମ ସମୟେ ।

ଜଗଜ୍ଜୟୀ ମଲ୍ଲ ବାଳୀ, ସମ୍ମୁଖ-ସମରେ

ନ ତିଷ୍ଠନ୍ତି ଚରାଚରେ କେହି ତାଙ୍କ ପାଶେ,

ବଧନ୍ତେ ତାହାଙ୍କୁ ରାମ ବୃକ୍ଷ ଅନ୍ତରାଳୁ

ମିତ୍ରବର ସୁଗ୍ରୀବର ନିର୍ବନ୍ଧାନୁରୋଧେ,

ଶାପିଲ ତାହାଙ୍କୁ ତୁମ୍ଭେ, ଡରି ସତୀ ଶାପେ,

ଗ୍ରହିଲେ ତାହାଙ୍କୁ ରାମ ପରମ ଆଗ୍ରହେ ।

ଭୁଞ୍ଜିଲେ ସେ ଶାପଫଳ ଦ୍ୱାପର ଯୁଗରେ,

ଧରି କୃଷ୍ଣରୂପ ଯେବେ, କାଦମ୍ବରୀ ପାନେ

ମରାଇ ସ୍ୱବଂଶେ ହରି ଥିଲେକ ନିଦ୍ରିତ

ଶିଆଳୀଲତିକାକୁଞ୍ଜେ, ସେକାଳେ ଅଙ୍ଗଦ,

ବଧିଲେ ତାହାଙ୍କୁ ଜାରା ଶବର ରୂପରେ

ମୃଗଜ୍ଞାନେ, ଫଳିଲା ଗୋ ତୁମ୍ଭ ଦତ୍ତ ଶାପ

ଅବ୍ୟର୍ଥ, (ଅବ୍ୟର୍ଥ ଯଥା କାଳବ୍ୟାଳ ବିଷ) ।

ସତୀତ୍ୱ ମହିମା ଧନ୍ୟ, ସ୍ୱୟଂ ଦାମୋଦର

(ସ୍ରଷ୍ଟା, ପାତା, ନିୟନ୍ତା ଯେ ନିଖିଳ ବିଶ୍ୱର)

ନ ପାରିଲେ ତାହା ତିଳେ ବ୍ୟତିକ୍ରମ କରି ।

ସତୀତ୍ୱ ସ୍ୱର୍ଗର ବଳ, ସ୍ୱର୍ଗର ସମ୍ବଳ,

କିମ୍ବା ସେହୁ ବ୍ରହ୍ମ ଶକ୍ତି, ଜ୍ୱଳେ ଅନୁକ୍ଷଣ

ବିମଳି ମୟୂଖମାଳା ମରୀଚିମାଳୀର,

ନିଶ୍ଚେ ମହାନିଧି ସେହୁ, ଅକ୍ଷୟ ଅବ୍ୟୟ ।

ଜଗତେ ଅମୂଲ୍ୟ ଖଣି ପତିବ୍ରତାହୃଦ,

ପାତିବ୍ରତ୍ୟ ତହିଁ ମଧ୍ୟେ ମହାମଣି ଏକା,

ସେ ମଣି ଅଧିକାରିଣୀ ଯେ ରମଣୀ-ମଣି,

ସେହି ସିନା ତ୍ରିଜଗତେ ଜୀବନ୍ତ ସ୍ୱରଗ ?

ନତୁ ନାହିଁ ସ୍ୱର୍ଗ ନାମେ ସ୍ୱତନ୍ତ୍ର ପ୍ରଦେଶ ।

ସତୀତ୍ୱ ସମ୍ପଦ ଅଟେ ଦୁର୍ବଳର ବଳ,

ଅସ୍ଥିଚର୍ମସାର ଏହି ଭାରତ ଅବନୀ,

ଅଦ୍ୟାପି ଜୀବିତ ଅଛି ଲଭି ସେ ସମ୍ପଦ ।

ସତୀତ୍ୱର ସ୍ନିଗ୍‌ଧ ଜ୍ୟୋତି ଥିବ ଯେତେ କାଳ

ଭାରତୀ-ବିଳାସ ତୀର୍ଥ ଭାରତମଣ୍ଡଳେ,

ତେତେ ଦିନଯାଏଁ, ଥିବ ନିଶ୍ଚେ ସମଭାବେ

ଭାରତମାତାର ମୁଖ ପ୍ରସନ୍ନ ଉଜ୍ଜ୍ୱଳ,

ନ ହେବ ମଳିନ ତାହା ଶତ ରୋଗେ ଶୋକେ l

ବାଳୀ ମୃତ୍ୟୁ ଅନ୍ତେ ତୁମ୍ଭେ ସୁଷେଣ-ଦୁହିତେ,

ହେଲ ସୁଗ୍ରୀବର ଭାର୍ଯ୍ୟା ରାଘବ ଆଦେଶେ,

ତଥାପି ସତୀତ୍ୱ ତବ ରହିଲା ଅକ୍ଷତ ।

ଧନ୍ୟ ତୁମ୍ଭେ ସତି, ଧନ୍ୟ ତୁମ୍ଭ ଶୁଦ୍ଧାଚାର,

ଥିଲ ତୁମ୍ଭେ ନାମେ ସିନା ସୁଗ୍ରୀବ-ଗୃହିଣୀ,

ମାତ୍ର କାର୍ଯ୍ୟେ ତାହାଙ୍କର ମନ୍ତ୍ରଣାଦାୟିନୀ ।

ସୁଭାର୍ଯ୍ୟାର ସୁମନ୍ତ୍ରଣା ଜୟ-ଶ୍ରେୟପଦ ।

ମକଟ-ସମ୍ରାଜ୍ଞି, ତୁମ୍ଭେ ଥିଲ ମହାସତୀ,

ପୁଣି ଯାଇଅଛି ଧନି ! ସୁଗୁଣେ ଉଜ୍ଜ୍ୱଳି

ବାଲ୍ମୀକି-ପୁରାଣେ, ତବ ସତୀତ୍ୱର ଜ୍ୟୋତି

ଅନଶ୍ୱର ଅନଶ୍ୱର ଚିର ଅନଶ୍ୱର ।

 

 

ପଞ୍ଚମ ସର୍ଗ

ମନ୍ଦୋଦରୀ

 

ତୁମ୍ଭ ପରି ଭାଗ୍ୟବତୀ କିଏ ମନ୍ଦୋଦରୀ,

ସ୍ୱର୍ଣ୍ଣଲଙ୍କେଶ୍ୱରୀ, ସତି ! ପତି ପୁତ୍ର ତବ

ମରାମର-ଦର୍ପହର ତ୍ରିପୁରବିଜୟୀ,

ସ୍ୱାମୀ ତବ ନୈକଷେୟ ଦୁର୍ଜ୍ଜୟ ପ୍ରତାପୀ,

ଖଟାଇଲା ଦେବଗଣେ ଆପଣା ସେବାରେ,

ପୁତ୍ର ବୀର ମେଘନାଦ, ପ୍ରମୀଳା-ବିଳାସୀ,

ଇନ୍ଦ୍ରେ ଜିଣି ବହିଲା ସେ ଇନ୍ଦ୍ରଜିତ ନାମ ।

ମୟକନ୍ୟେ ! ଜନ୍ମ ତବ ବୀରବଂଶେ ଉଚ୍ଚେ,

ବୀରପତ୍ନୀ ବୀରମାତା ତୁମ୍ଭେ, ଲକ୍ଷୀବତୀ

ବାହ୍ୟେ, କିନ୍ତୁ ଅନ୍ତରେ ଗୋ ସତି, ସୁଧାର୍ମିକା

ତପସ୍ୱିନୀ । ମଣୁ ଥିଲ ତୁମ୍ଭେ ଏ ସଂସାରେ

ପଦ୍ମପତ୍ରେ ଜଳବିନ୍ଦୁ ପ୍ରାୟ, ପତିବ୍ରତେ,

ଥିଲ ତୁମ୍ଭେ ମାୟାମୁକ୍ତ ଉଦାସିନୀ ପ୍ରାୟ ।

ଥିଲ ତବ ଗନ୍ତାଘର ପୂର୍ଣ୍ଣ ଅନୁବତେ

ସଂସାରର ସାର ରତ୍ନେ, ନ ଚାହିଁଣ ତାକୁ,

ମଣ୍ଡିଲ ବରାଙ୍ଗେ ତୁମ୍ଭେ ପାତିବ୍ରତ୍ୟ ଭୂଷା ।

କିନ୍ତୁ ଗୋ ସୁନ୍ଦରି ! ଆହା କେଉଁ ପାପେ ବିହି,

ବିହିଥିଲା ତୁମ୍ଭ ଭାଗ୍ୟେ ଦଶାନନ ଭଳି

ଦୁରାଚାରୀ ପାପୀ ପତି, କେଉଁ ପାପେ ଭଲା,

ମିଶିଲା କୈବଲ୍ୟ ସହ ଦୂଷିତ ପିଶିତ ।

ବିଧିର ଏ ଅବିଧି ତ ଅଛି ଚିରକାଳ,

ସେହି ବିଧି ସିନା ସତି, ଛନ୍ଦିଲା ପୂରବେ

ସାଧବୀ ମାଧବୀ ପୁଷ୍ପ ସୁନ୍ଦରୀକୁ ଆହା

ଉତ୍କଟ ପୁଷ୍ପଲମ୍ପଟ ଷଟ୍‌ପଦ ପଦରେ ।

କେ ସମର୍ଥ ଭେଦିବ ଏ ରହସ୍ୟ ବିଧିର ?

ତାଙ୍କ ବିଶ୍ୱକୂଟ ମାୟା ତାହାଙ୍କୁହିଁ ଜଣା ।

ରକ୍ଷୋକୁଳ-କଳଙ୍କିନୀ କ୍ରୂରା ଦୁଶ୍ଚାରଣୀ

ସୂର୍ପଣଖା ପ୍ରରୋଚନେ, ହରିଲା ରାବଣ

ଜନପୂଜ୍ୟା ଜାନକୀଙ୍କୁ (କମଳାରୂପିଣୀ)

ରଖିଲା ଲଙ୍କାରେ ନେଇ ଅଶୋକ କାନନେ,

ଦୂରନ୍ତା ରାକ୍ଷସୀ ଚେଡ଼ୀ ବେଢ଼ାଇ ଚୌପାଶେ ।

ସୀତା ଉଦ୍ଧାରାର୍ଥେ ସୀତା-ହୃଦୟ-ଚନ୍ଦନ

ଶ୍ରୀରାମ, (ଜଗତଜନ ଅନ୍ତିମ ଆରାମ)

ବେଢ଼ିଣ କନକ ଲଙ୍କା ନିବିଡ଼ ବେଷ୍ଟନେ

ଋକ୍ଷ କପି ସୈନ୍ୟସହ, ଆରମ୍ଭିଲେ ରଣ

ଘୋର ଭୟାବହ, ସେହି ବିଷମ ସମରେ

ହୁଅନ୍ତେ କନକ ଲଙ୍କା ବୀରଶୂନ୍ୟ । କ୍ରମେ

ସେକାଳେ ଗୋ ସତି, ତୁମ୍ଭେ ପୌଲସ୍ତ୍ୟ ରାବଣେ

ଭାଷିଲ ଏସନ ଧର୍ମ-ଅର୍ଥଯୁକ୍ତ ବାଣୀ,

“କର୍ବୂରେଶ ! ହୁଅ କିପାଁ ବୃଥା ଛନ୍ମମତି ?

ରାମ ବିଷ୍ଣୁ, ସୀତା ଲକ୍ଷ୍ମୀ, ନ ହୁଅ ବିସ୍ମୃତ

ଏହା, ମୋହ-ମଦେ ଘାରି, ଅବତୀର୍ଣ୍ଣ ସେହୁ

ନରରୂପେ ମତ୍ତ୍ୟେ, ଦୁଷ୍ଟ ବିଦଳନ ପୁଣି

ଶିଷ୍ଟ ସଂପାଳନ ଅର୍ଥେ, ପୂଜନ୍ତି ଅମରେ

ଯେଉଁ ପଦ୍ମାଳୟା-ପାଦପଦ୍ମେ, ସେ କମଳା,

ଲଭୁଛନ୍ତି ତୁମ୍ଭ ଘରେ ଦାରୁଣ କଷଣ ।

କେମନ୍ତେ ସହିବ ଭଲା ଧର୍ମ ଏ ଅନୀତି !

ତୁମ୍ଭର ଏ ସ୍ୱର୍ଣ୍ଣଲଙ୍କା କଳ୍ପଦ୍ରୁମ ସମ,

ତୁମ୍ଭେ ତାର ମୂଳ, ଆନେ ଶାଖା ଉପଶାଖା,

କିନ୍ତୁ ନାଥ, ତୁମ୍ଭ ଦୋଷେ ଏବେ ଶାଖାଚ୍ୟୁତ

ସେ ପାଦପ ! କଳ୍ପଜୀବୀ ତୁମ୍ଭେ ଦେବବରେ,

କିନ୍ତୁ ଛୁଇଁ ଅବିଚାରେ ସତୀ ଠାକୁରାଣୀ-

ଅଙ୍ଗ, କଲ ସିନା ବୃଥା ନିଜ ଆୟୁଃକ୍ଷୟ ?

ଜ୍ୱଳନ୍ତ ଅନଳ ପ୍ରାୟ ସତୀ ଅଭିଶାପ,

କିଁପା ତହିଁ ପଡ଼ି ନାଥ, ପତଙ୍ଗ ପରାୟେ

ହେବ ଭସ୍ମୀଭୂତ, ଓହୋ ! ଛାଡ଼ ସେ କୁମତି ।

 

ଦିଅ ନାଥ ନେଇ ଏବେ ସୀତା ସୀତାନାଥେ,

ଲୋଡ଼ା ନାହିଁ ପୋଡ଼ା ରଣେ ହେଉ ସେ ସ୍ଥଗିତ ।

ପରନାରୀହାରୀ ତୁମ୍ଭେ ପରମନାରକୀ,

ପଶ ଯାଇ ରାମପାଦେ ବିନୟେ ଶରଣ,

ଶରଣବତ୍ସଳ ସେହୁ, ଘେନିବେ ନିଶ୍ଚୟ

ଆରତି ତୁମ୍ଭର, ନାଥ ଦେବେ ପଦଚ୍ଛାୟା,

ଯେଣୁ ପାପିତ୍ରାତା, ତେଣୁ ପାପୀର କ୍ରନ୍ଦନେ

ଟଳିବ ନିଶ୍ଚୟ ତାଙ୍କ କୃପା-ସିଂହାସନ ।

ନୁହନ୍ତି ସାମାନ୍ୟ ନର ରାମଚନ୍ଦ୍ର କେବେ,

କଲେ ଯେହୁ କାଷ୍ଠ-ନାବେ ପଦସ୍ପର୍ଶେ ସୁନା,

ଭାସେ ଶିଳା ସିନ୍ଧୁଜଳେ ଯାହାଙ୍କ ଆଜ୍ଞାରେ,

ନୁହନ୍ତି ସେ ମହାବାହୁ, ଇତର କଦାପି,-

ସମ୍ଭବେ କି ମହାକାର୍ଯ୍ୟ ଇତର ପକ୍ଷରେ ?

କେ କ୍ଷମ ଅଗସ୍ତ୍ୟ ବିନା ସମୁଦ୍ର ଶୋଷଣେ ?

ଯେ ପ୍ରଭୁ ଜଗତସ୍ରଷ୍ଟା, ହୋଇ ତୁମ୍ଭେ ଦ୍ରୋହୀ

ତାଙ୍କ ପଦେ, ତିଷ୍ଠିବ ବା କାହିଁ ତ୍ରିଭୁବନେ ?

ଜାଣୁ ଜାଣୁ କିଏ ନାଥ, କାଳସର୍ପ ମୁଖେ

ପୂରାଏ ସଦର୍ପେ ହସ୍ତ ? ଏଡ଼େ ଦୁଃସାହାସ

କରିବ କି କେହି କେବେ ହେଲେହେଁ ବାତୁଳ ?

ଅତଏବ ତେଜ ନାଥ, କୁବୁଦ୍ଧି କୁଭାବ,

ଅର୍ପି ସୀତା ରାମପଦେ, ନିଅ ବେଗେ ମାଗି

ନିଜକୃତ ଅପରାଧ, କ୍ଷମାମୟ ସେହୁ,

ଅର୍ପିବେ ସେ ନିଶ୍ଚେ କ୍ଷମା କ୍ଷମାପାତ୍ର ଜାଣି ।”

ଏସନ ସଦୁପଦେଶ ଦେଲ ତୁମ୍ଭେ ସତି,

ମନ୍ଦୋଦରି ! କିନ୍ତୁ ତାହା ଗଲାକ ମିଳାଇ

ଆକାଶେ, ହୁଏ କି କେବେ ଦୁର୍ନୀତ ନିକଟେ

କାର୍ଯ୍ୟକାରୀ ନୀତିବାଣୀ ? ଗ୍ରହଇ କି କେବେ,

ସୁପକ୍ୱ କଦଳୀ ଘୃଷ୍ଟି ? ତାହା ହେୟ ତାର ।

ପ୍ରଦର୍ଶି ଉପେକ୍ଷା ତବ ଉପଦେଶେ ସତି,

ଲଭିଲା ନିଧନ ଦୁଷ୍ଟ ଲଙ୍କା-ଅଧିକାରୀ ।

ପୁତ୍ର, ପୌତ୍ର, ଜ୍ଞାତି, ବନ୍ଧୁ, ଭ୍ରାତୃ, ମିତ୍ର ସହ,

କରିଣ ତୁମ୍ଭଙ୍କୁ ଆହା ଅନାଥିନୀ ଧନି !

ଦୁର୍ଦୈବ କୁଠାରାଘାତେ ସୁଖ-ତରୁ ତବ

ହେଲେ ଚ୍ଛିନ୍ନଭିନ୍ନ, କିନ୍ତୁ ଧୈର୍ଯ୍ୟ-ତରୁ ସତି,

ରହିଲା ଅକ୍ଷତ, ଯେଣୁ ରଖିଥିଲ ସଦା

ଜ୍ଞାନ-ଗୂଢ଼ ଆବରଣେ ଆବୃତ ତାହାକୁ,

ତେଣୁ ନ ପାରିଲା ତାକୁ ସେ କୁଠାର ଛେଦି ।

ଆଶ୍ରି ସେହି ତରୁ ତୁମ୍ଭେ ହରିପଦ ସହ

ରହିଲ ଅଟଳ ସଦା ସେ ମହା ବିପଦେ ।

ହେଲେହେଁ ଅସୁରୀ ତୁମ୍ଭେ, ଗୁଣରେ ଅମରୀ,

ପଙ୍କୁ ଜାତ ପଙ୍କଜିନୀ, ବସେ ଦେବପଦେ l

ଗୁଣ ହେତୁ ସିନା, ଗୁଣ ଅମର-ପୂଜିତ,

ଶୁକ୍ତିସୁତା ମୁକ୍ତା ବସେ ରାଜନ୍ୟ ମୁକୁଟେ ।

 

ଷଷ୍ଠ ସର୍ଗ

ସୀତା

 

ଧନ୍ୟ ଗୋ ଜନକଜେମା ରବିକୁଳବଧୂ,

ଆଦିକବି କାବ୍ୟାଶ୍ରମ ପବିତ୍ରକାରିଣୀ,

ଧନ୍ୟ ମହାସତି ତୁମ୍ଭେ, ଶତଧନ୍ୟ ତବ

ଆଦର୍ଶ ନାରୀତ୍ୱେ, ନାହିଁ ନ ଥିଲା, ନ ହେବ

ତୁମ୍ଭ ପରି ଗୁଣ-ଧନ୍ୟା ନାରୀ ଏ ଭାରତେ,

ବଜ୍ରାଘାତ ପୁଷ୍ପପାତ ସମ ତୁମ୍ଭଠାରେ,

ଯେଣୁ ସର୍ବଂସହା-କନ୍ୟା, ତେଣୁ ସହିପାର

ସବୁ, ‘ମାତା ଗୁଣେ କନ୍ୟା’ ବୋଲନ୍ତି ଜଗତେ

ସୁଷମା-ସାଗର-ସାରରତ୍ନ ଉପାଦାନେ

ରଚିଲେ ତୁମ୍ଭଙ୍କୁ ବିଧି, ଗୋ ଲାବଣ୍ୟନିଧି,

ଜଗତେ ଦୁର୍ଲଭ ତୁମ୍ଭ ରୁପ-ହ୍ର ଦେ ବୁଡ଼ି

ଦୁଷ୍ଟବୁଦ୍ଧି ଦୁରାଚାରୀ ରକ୍ଷଃକୁଳାଙ୍ଗାର

ନୈକଷେୟ, ନେଲା ହରି ତୁମ୍ଭଙ୍କୁ ପାତକୀ,

ପାପ ଅଭିପ୍ରାୟେ, କିନ୍ତୁ ହେଲା କି ସଫଳ

ଦୁଷ୍ଟର ସେ ଅଭିପ୍ରାୟ ? ସେ କାଳେ ତୁମ୍ଭର

ସତୀତ୍ୱର ରୁଦ୍ରତେଜ ଉଠନ୍ତେ ପ୍ରଜ୍ଜ୍ୱଳି

ନ ପାରିଲା ଭୟେ ଦୁଷ୍ଟ ଭରସି ପରଶି ।

କଲା କେତେ ସ୍ତୁତି ତବ ମନସ୍ତୁଷ୍ଟି ଆଶେ,

ପ୍ରଦର୍ଶିଲା ପ୍ରଲୋଭନ ବିବିଧ ପ୍ରକାରେ,

ମାତ୍ର ବ୍ୟର୍ଥ ସବୁ ଚେଷ୍ଟା, କଲେହେଁ ସମୀର

ସହସ୍ର ସାଧନା, ଅଳି ସହସ୍ର ବିନତି

କର୍ଣ୍ଣମୂଳେ ଫୁଟାଇ କି କମଳିନୀ କେବେ

କମଳିନୀ-ପ୍ରାଣଧନ-ରବି-ଅଦର୍ଶନେ ?

ପାର୍ଥିବି ! ପୃଥିବୀଖ୍ୟାତ ଦୟା କ୍ଷମା ତବ,

ନିଧନି ଯେ କାଳେ ଦୁଷ୍ଟ ଲଙ୍କେଶ ରାବଣେ

ରାବଣାରି, ଉଦ୍ଧାରିଲେ ତୁମ୍ଭଙ୍କୁ, ସେ କାଳେ

ପଶିଲେ ଶରଣ ଆସି ସଭୟେ ଚେଡ଼ୀଏ,

ଦୁରନ୍ତା, ଦୁର୍ମୁଖା, ମାଗି ପ୍ରାଣଭିକ୍ଷା, ସର୍ବେ

ବେଢ଼ିଣ ତୁମ୍ଭଙ୍କୁ ପୂର୍ବେ ନିବିଡ଼ ବେଷ୍ଟନେ

ଅଶୋକ କାନନେ, (ଚନ୍ଦ୍ରେ ଘନାବଳୀ ପ୍ରାୟ)

ସତତ ଧରଷୁଥିଲେ ଦନ୍ତ କଡ଼ମଡ଼ି,

କାଳ ପ୍ରତିକୂଳେ ସେହୁ, ହେଲେ ତୁମ୍ଭ ପାଦେ

ବଳେ ବଳେ ବିକା, ତାହା ଖଳର ସ୍ୱଭାବ,

ସମୟେ ସେ ଉର୍ଦ୍ଧ୍ୱଶିର, ଝିଙ୍କେ ମୁଣ୍ଡବାଳ,

ସମୟ ପଡ଼ିଲେ ପୁଣି ଧରେ ଆସି ପାଦ ।

ଜାଣି ସୁଦ୍ଧା ଦୁଷ୍ଟାଙ୍କର ଏହି ପ୍ରବଞ୍ଚନା,

କ୍ଷମିଲ ତାହାଙ୍କୁ ତୁମ୍ଭେ ଚିତ୍ତେ ଦୟା ବହି,

ଲଭିଲେ ଅଭୟ ସେହୁ ତୁମ୍ଭରି ଆଶ୍ୱାସେ ।

ସୀତେ, ତବ ସତୀତ୍ୱର ପ୍ରଗୌରବ ଗାଥା

କି ଗାଇବି ଗୀତେ ? ତାହା ଅଦ୍ଭୁତ ଅଶ୍ରୁତ,

ଥିବ ଯେତେ ଦିନ ଏହି ଆର୍ଯ୍ୟ ଭୂମଣ୍ଡଳେ

ସତୀତ୍ୱ-ଗୌରବ ପୂଜା, ତେତେ ଦିନ ଯାଏଁ

ସତୀକୁଳ ଆଦ୍ୟାସନ ତୁମ୍ଭ ଅଧିକୃତ ।

ଚାରିତ୍ର୍ୟ-ଦୈବତେ ! ଧନ୍ୟ ଚରିତ୍ର ତୁମ୍ଭର

ଅଲୌକିକ, ସୁପାବନ, ସୁପାବନ ଯଥା

ତବ କୁଳ ଅଧିଦେବୀ ହରମୌଳିମାଳା

ଜାହ୍ନବୀ ସଲିଳଧାରା, ସ୍ମୃତି-ଦୂତୀ ମୁଖୁ

ଶୁଣେ ଯେବେ ସତି, ତୁମ୍ଭ ଚରିତ୍ର କାହାଣୀ,

କେତେ ଯେ ଅନ୍ତରେ ଲଭେଁ ବିସ୍ମୟ, ପୁଲକ,

ଅଙ୍କନେ ଅକ୍ଷମ ତାହା ମୋ କଳ୍ପତୂଳିକା ।

ରାବଣେ ସଂହାରି ଦେବ ଅବ୍ୟର୍ଥ ପ୍ରହରୀ

ରବିକୁଳ-ରବି ରାମ (ପତିତପାବନ)

ଉଦ୍ଧାରି ତୁମ୍ଭଙ୍କୁ ରକ୍ଷଃପୁର-କାରାଗାରୁ

ମାଗିଲେ ଅଗ୍ନି ପରୀକ୍ଷା, କଠୋର ବଚନେ,

ଉପସ୍ଥିତ ହେଲେ ଆସି ସେ କାଳେ ଲଙ୍କାରେ

ବ୍ରହ୍ମାଦି ଅମରବୃନ୍ଦ, ଦର୍ଶନ ଆଶ୍ରୟେ

ସେ ପରୀକ୍ଷା, ଘେନ ସଙ୍ଗେ କ୍ଷିତିଜେ, ତୁମ୍ଭର

ସ୍ୱର୍ଗତ ଶ୍ୱଶୁର ଦେବ ଦଶରଥ ଶୂରେ,

(ଦେବରୂପଧାରୀ, ଦେବବିମାନ-ଆରୋହୀ)

ପଶିଲ ଅନଳେ ତୁମ୍ଭେ ସହାସ୍ୟ ବଦନେ

ଚାରୁଚନ୍ଦ୍ରନିଭାନନେ, ସ୍ୱାମୀ ଅନୁଜ୍ଞାରେ,

ପରଶିଣ ଚିତ୍ରଭାନୁ, ସତି, ତୁମ୍ଭ ତନୁ

ଝଟକିଲା ପୂର୍ବାପେକ୍ଷା ଉଜ୍ଜ୍ୱଳି ଦ୍ୱିଗୁଣ,

ହେମକୂଟ-ହୈମକାନ୍ତ ରବିକରେ ଯଥା

ଘେନିଣ ତୁମ୍ଭଙ୍କୁ ତହୁଁ ଦେବ ହବ୍ୟବାହ,

ମୂର୍ତ୍ତି ପରିଗ୍ରହି, ଉଠି ଅଗ୍ନିକୁଣ୍ଡୁ, ଦେଲେ

ରାମଙ୍କ ଛାମୁରେ ନେଇ ନିବେଦି ଏସନ,-

“ପ୍ରଭୋ ! ମହାପତିବ୍ରତା ଜନକଦୂଲଣୀ,

ସ୍ୱୟଂ ଲକ୍ଷ୍ମୀ ଅବତୀର୍ଣ୍ଣା, (ଜଗତଜନନୀ)

ତୁମ୍ଭେ ସ୍ୱୟଂ ପୂର୍ଣ୍ଣବ୍ରହ୍ମ ବିଷ୍ଣୁ ଅବତାର

ଦେବ, ନରଲୋକେ ଜନ୍ମି ନରଦେହ ଧରି

ବିସୋରିଛ ଏହା ତୁମ୍ଭେ ସତୀ ଅଭିଶାପେ

ତେଜସ୍ୱୀ ତୁମ୍ଭର ତେଜେ, ତୁମ୍ଭ ସୃଷ୍ଟ ମୁହିଁ,

ପରଶେ ପରଖେ ଯେତେ ଗୋପନୀୟ ପାପ,

ପ୍ରଦାନିଛ ଏ କ୍ଷମତା ତୁମ୍ଭେହିଁ କେବଳ,

କିନ୍ତୁ ପ୍ରଭୋ ! ଧର୍ମ୍ମତଃ ମୁ କହୁଛି ନିକର,

ନିଷ୍ପାପା ଜନକଜେମା ଜନ୍ମ ଜନ୍ମାନ୍ତରେ ।”

ଶୁଣି ବୈଶ୍ୱାନର ମୁଖୁ ଏସନ ଭାରତୀ

ସମାଗତ ଦେବବୃନ୍ଦ, ପ୍ରଶଂସି ବିଶେଷେ

କଲେ ବହୁ ଆଶୀର୍ବାଦ ତୁମ୍ଭଙ୍କୁ ମୈଥିଳି !

ଅଦ୍ଭୁତ କରଣୀ ତବ ନିରେଖି ପ୍ରତ୍ୟକ୍ଷେ

ରକ୍ଷଃ କପି ସୈନ୍ୟେ, ହେଲେ ବିସ୍ମୟେ ସ୍ତବ୍‌ଧ ।

ଅଗର୍ଭଜେ, ପତି-ପିତା ଦଶରଥ ତବ

ବୋଇଲେ ସସ୍ନେହ ବାକ୍ୟେ ତୁମ୍ଭଙ୍କୁ ସେ କାଳେ,

“ମାତଃ, ପୂର୍ବ ପୂଣ୍ୟଫଳେ, ପାଇଥିଲି ମୁହିଁ

ପୁତ୍ରରୂପେ ରାମେ, ପୁଣି ତୋତେ ବଧୂ ରୂପେ,

ଧରାଧନ୍ୟା ତୋହ ପରି ସତୀ କନ୍ୟା ଧରି,

ଧନ୍ୟା ପାତିବ୍ରତ୍ୟେ ତୁହି, ହୋଇ ରାଜବାଳା

ପୁଣି ରାଜବଧୂ, ଆହା କେତେ ଯେ ସହିଲୁ

କଷ୍ଟ ପତିପାଇଁ, ତାହା କି କହିବି ମାତଃ,

ତୋହୋ ପରି ପତିପ୍ରଣା ଦୁର୍ଲଭ ସଂସାରେ;

ପବିତ୍ରିଲୁ ସୁଗୁଣେ ତୁ ସୋମସୂର୍ଯ୍ୟକୁଳେ।

ଶୁଣିବ ଯେ ନାରୀ ତୋର ପବିତ୍ର ଆଖ୍ୟାନ,

ମର୍ତ୍ତ୍ୟେ ସୁଖି ହେବ ସେହୁ ପତିପୁତ୍ର ଘେନି,

ଲଭିବ ପରମ ଗତି ପୁଣି ପରକାଳେ,

ଘେନ ମାତଃ ମୋର ଏହି ଅଯାଚିତ ବର ।

ପତିବ୍ରତେ ! ଦୟା, କ୍ଷମା, ସ୍ନେହ, ପ୍ରୀତି, ନତି,

ସହିଷ୍ଣୁତା, କୋମଳତା ଆଉ ସାରଲ୍ୟର

ସମବାୟ ଛାଞ୍ଚେ, ଗଢ଼ି ବିଧି ତୁମ୍ଭ ତନୁ,

ଶାଣିଥିଲା ତାକୁ ପୁଣି ପାତିବ୍ରତ୍ୟ ଶାଣେ,

ନିଷେଧିଲେ ରଘୁପତି ତୁମ୍ଭଙ୍କୁ ଯେ କାଳେ

ଯିବାପାଇଁ ସଙ୍ଗେ ବନେ, ଦେଖାଇଣ କେତେ

କଷ୍ଟଭୋଗ ଭୟ, ମନ ବିଡ଼ିବା ଆଶୟେ,

ଶୁଣି ତୁମ୍ଭେ ତାହା, ଦେବୀ ସୁବର୍ଣ୍ଣ–ସୁଦେହା,

ନିବେଦିଲ ପତିପଦେ ବିନୟେ ଏସନ-

“କରୁଣା-ପାଦପ ତୁମ୍ଭେ, ନାଥ ଏ ସେବିକା

ତବ ପଦାଶ୍ରିତା ଲତା, କହ ନାଥ, ଆହା !

ଆଶ୍ରୟ ପାଦପାଭାବେ କେମନ୍ତେ ତିଷ୍ଠିବ,

ତୁମ୍ଭ ସ୍ନେହ-ସିକ୍ତା ସେହି କୋମଳ ଲତିକା ?

ଅମୋଘ–ପ୍ରହରୀ, ସ୍ୱାମୀ ଦେବର ଯାହାର

କି ଭୟ ତାହାର ନାଥ ରାକ୍ଷସେ ଶ୍ୱାପଦେ ?

ଭ୍ରମି ବନେ ତବ ସହ, ହେବ ଯେବେ ପାଦେ ?

କଣ୍ଟକ ସଂବିଦ୍ଧ, ତେବେ ମଣିବି ତାହା ମୁଁ

ପୁଷ୍ପାଘାତ ପ୍ରାୟ, ବାତେ ଉଡ଼ି ଧୂଳି ଯେବେ

ଲାଗିବ ଶରୀରେ, ତୁମ୍ଭେ ସଙ୍ଗେ ଥିଲେ ନାଥ !

ମଣିବ ତାହାକୁ ଦାସୀ, (ତବ ପାଦେ ବିକା)

ଚନ୍ଦନ କର୍ପୂର ଚୂର୍ଣ୍ଣ ବୋଳିହେଲା ପ୍ରାୟ ।

ଦେବ, ତବ ସହ ବନେ ଭୁଞ୍ଜି ଫଳମୂଳ,

ଲଭିବି ଯେ ତୃପ୍ତି ମୁହିଁ, ଅମୃତ ଭୋଜନେ

ନ ହେବ ସେ ଭଳି ତୃପ୍ତି କଦାପି ମୋହର ।

କେତେ ବା କହିବି ନାଥ, ବାହୁଲ୍ୟେ ମୁଁ ଆଉ ?

ନାହିଁ ତ ଅଜ୍ଞାତ ତବ ଦାସୀ ମନୋଭାବ,

ହେ ସୀତା-ହୃଦୟ-ବନ୍ଧୁ ! ତୁମ୍ଭ ସହବାସେ,

ତରୁତଳେ ମଣେ ମୁହିଁ ଅଳକା ସମାନ ।

ଜୀବିତେଶ ! ଏ ଦୁଃଖିନୀ ଜାନକୀ ତୁମ୍ଭର

ଧର୍ମ୍ମତଃ ସହଧର୍ମ୍ମିଣୀ, ଆଚରିବ ଯେବେ

ଯେଉଁ ଧର୍ମ ତୁମ୍ଭେ, ତେବେ ସେହି ଧର୍ମ ତାର

ହେବ ଅବଲମ୍ବ୍ୟ, ଏହା ଶାସ୍ତ୍ରସିଦ୍ଧ ନ୍ୟାୟ,

ବଳ୍କଳ ପିଧାନି ତୁମ୍ଭେ ଭ୍ରମିବ କାନ୍ତାରେ

ରହିବି ମୁଁ ଘରେ ବସି ସୁଖ-ରଙ୍କ ହୋଇ,

ଏହି କି ମୋର ଦେବ, ସହଧର୍ମ୍ମିଣୀତା ?

ଧିକ୍ ସେହି ଦଗ୍‌ଧ ସୁଖେ, ଲୋଡ଼ା ନାହିଁ ତାହା ।

ଧନ୍ୟ ମହାସତୀ ସୀତେ, ସିତାଂଶୁବଦନେ,

ପାତିବ୍ରତ୍ୟେ ତୁମ୍ଭେ ଏକା ତୁମ୍ଭରି ଉପମା,

ଭାରତ-ଲଳିନା-କୁଳ-ଲଲାମ-କିରୀଟ,

ଯୁଗେ ଯୁଗେ ତୁମ୍ଭେ ମାତଃ ସ୍ୱଗୁଣେ ଅମର ।

ଜନ୍ମକଷ୍ଟୀ ସୀତା ତୁମ୍ଭେ, ଯାପିଲ ଗୋ ଆହା

ଜୀବନର ଅଧିକାଂଶ ସମୟ ଦୁଃଖରେ ।

ଚଉଦ ବରଷ କାଳ ଭ୍ରମି ସ୍ୱାମୀ ସହ

ବିପଦ-ବସତି ବନେ, ଲଭିଣ ଦାରୁଣ

ଦୁଃଖ, (ସୁମରିଲେ ତାହା ବିଦରେ ହୃଦୟ)

ରାକ୍ଷସୀ-ବେଷ୍ଟିତା ହୋଇ ରକ୍ଷୋରାଜପୁରେ

ହେଲେ ଜୀବନ୍ମୃତା ଆହା ପଞ୍ଜରାସ୍ଥିସାର ।

ଭୁଞ୍ଜିଲେହେଁ ଏତେ ଦୁଃଖ ଶାନ୍ତି ନାହିଁ ତେବେ

ପୁନଶ୍ଚ ନିହିଲା ବିହି ବିଷମ କଷଣ,-

ରମଣୀ-ସୀମନ୍ତ ମଣି, ତୁମ୍ଭରି କପାଳେ,

ଅମୂଳକ ଅପବାଦେ ଡରି ରାବଣାରି,

ବର୍ଜିଲେ ତୁମ୍ଭଙ୍କୁ ଦେବି, ଗହନ ବିପିନେ

ପଞ୍ଚମାସ ଗର୍ଭବତୀ କାଳେ, ଅବିଚାରେ,

ଅଦୋଷେ ଦଣ୍ଡିଲେ ସ୍ୱାମୀ, ଜାଣି ସୁଦ୍ଧା ଏହା

ଭୁଞ୍ଜିଲ ସେ ଦଣ୍ଡ ସତି ! ଶିରୋଧାର୍ଯ୍ୟ କରି,

ଧନ୍ୟ ତବ ଗୁରୁଭକ୍ତି, ଧନ୍ୟ ସହିଷ୍ଣୁତା,

ଧରଣୀର ଏକ ପ୍ରାନ୍ତୁ ଅନ୍ୟ ପ୍ରାନ୍ତ ଯାଏ,

ଖେଳେ ତବ ଯଶୋବୀଚି ସେ କାଳୁ ଅବଧି,

ଖେଳିବ ଏ କ୍ଷିତି ଥିବ ଯେତେ ଦିନ ପୁଣି ।

 

ସପ୍ତମ ସର୍ଗ

ସାବିତ୍ରୀ

 

ଯେତେ ଥର ସାବିତ୍ରି ଗୋ ଭାବେ ତୁମ୍ଭ କଥା,

ତେତେ ଥର ସ୍ମରି ଚିତ୍ତେ ସତୀତ୍ୱର ବଳ,

ଅତୁଳ ଆନନ୍ଦେ ଲଭେଁ ଅପାର ବିସ୍ମୟ,

ଅଶ୍ଚପତିସୁତେ, କଲେ ଅନୁଧ୍ୟାନ ତବ

ଅତ୍ୟଦ୍ଭୁତ କୀର୍ତ୍ତିରାଜି, ପ୍ରତେ ହୁଏ ସ୍ୱତଃ

ସତୀର ଅସାଧ୍ୟ କାର୍ଯ୍ୟ ନାହିଁ ତ୍ରିଭୂବନେ l

ପୁଣ୍ୟଶ୍ଳୋକେ, ତବ ପୁଣ୍ୟ ବିଚିତ୍ର ଆଖ୍ୟାନ,

ବିସ୍ତରି ପୁରାଣବନ୍ଧେ ହିରଣ୍ମୟ ପ୍ରଭା,

କରୁଛି ତା କଳେବରେ ପବିତ୍ର, ଉଜ୍ଜ୍ୱଳ,

କଳ୍ପଜୀବିନୀ ସେ ପ୍ରଭା, ଚିର ଅମଳିନା l

“ସତ୍ୟହିଁ କେବଳ ସତ୍ୟ’’, ବୁଝିଥିଲ ଦେବି,

ଏ ନୀତି ରୂଢ଼ାର୍ଥ ତୁମ୍ଭେ, ତେଣୁ ସିନା ସତି,

ସତ୍ୟ-ଶୈଳ-ଶିରେ ଥିଲ ସତତ ଅଟଳ l

ଅଳ୍ପାୟୁଷ ଜାଣି ସୁଦ୍ଧା ଇଚ୍ଛିଲ ବରଣେ

ଦ୍ୟୁମତ୍‌ସେନି ସତ୍ୟବାନେ ଧର୍ମପତିରୂପେ,

ଦେବର୍ଷି ନାରଦ ସୁଦ୍ଧା (ବ୍ରହ୍ମତତ୍ତ୍ୱବାଦୀ)

ନ ପାରିଲେ ସେ ସଂକଳ୍ପୁ ତୁମ୍ଭଙ୍କୁ ଫେରାଇ,

ଶତ ଧନ୍ୟ ଧନି, ତବ ଧ୍ରୁବ ସତ୍ୟବ୍ରତେ,

ହୋଇ ରାଜକନ୍ୟା, ବଢ଼ି ଅତୁଳ ବିଭବେ

କେ ଇଚ୍ଛେ ଧାରଣେ ଓହୋ କାଠୁରିଆ ହସ୍ତ ?

କେ ଇଚ୍ଛେ ବା କୀଟଦଷ୍ଟ ଜୀର୍ଣ୍ଣ ପର୍ଣ୍ଣକୁଟୀ,

ଉପେକ୍ଷି ସୁରମ୍ୟ ହର୍ମ୍ୟେ, ମଣିମୁକ୍ତାଖଚୀ ?

ସ୍ୱର୍ଣ୍ଣନୀଡ଼-ବିଳାସିନୀ ସୁବର୍ଣ୍ଣ ବିହଗୀ,

ଇଚ୍ଛଇ କି ସ୍ୱପ୍ନେ କେବେ ଦଦରା ପିଞ୍ଜରା ?

କିନ୍ତୁ ଦେବି, ଧନ୍ୟ ତବ ସୁଖତ୍ୟାଗବ୍ରତ !

ସବୁ ତେଜି ଦୁଃଖେ କଲ ସ୍ନେହେ ଆଲିଙ୍ଗନ l

ସତ୍ୟବାନ-ପ୍ରାଣପ୍ରିୟେ, ସେ ଦୁଃଖ ମଧ୍ୟରୁ

ଗଢ଼ିନେଲ ଜୀବନର ତୁମ୍ଭେ ସାର ସୁଖ,

ସ୍ୱାମିସେବା, ଶ୍ୱଶ୍ରୂସେବା, ଶ୍ୱଶୁର ଶୁଶ୍ରୁଷା,

ତପଶ୍ଚରଣାଦି, ଧନ୍ୟ ବୁଦ୍ଧିବଳ ତବ ।

ଯେ ବଳେ ଆପ୍ୟାୟି ତୁମ୍ଭେ ସୁନୀତି ସମ୍ଭାଷେ

ଶମନେ, (ଧର୍ମାଧର୍ମର ତୁଳାଦଣ୍ଡଧାରୀ)

ନେଲ ଇଷ୍ଟବର ମାଗି, ଯେ ବରେ ସୁନ୍ଦରି,

ସ୍ୱଳ୍ପାୟୁଷ ସତ୍ୟବାନ ହେଲେ ଦୀର୍ଘାୟୁଷ,

ସ୍ୱୟଂ ତୁମ୍ଭେ ହେଲ ସତି, ଶତପୁତ୍ରବତୀ l

ଅସାଧ୍ୟ ସାଧନ କରି ଧୈର୍ଯ୍ୟ ପ୍ରତିଭାରେ,

ଉଡ଼ାଇଲ ଯଶୋରାଜ୍ୟେ ଚକ୍ରବର୍ତ୍ତୀ ଛତା l

ଶ୍ୱଶୁର ତୁମ୍ଭର ସତି, ଦୈବ ଦୁର୍ବିପାକେ,

ଥିଲେ ହୃତରାଜ୍ୟ ପୁଣି ହୃତନେତ୍ର ହୋଇ,

କରିଣ ତାହାଙ୍କୁ ତୁମ୍ଭେ ପ୍ରେତପତିବରେ

ରାଜ୍ୟବାନ, ଚକ୍ଷୁଷ୍ମାନ, ଉଦ୍ଧାରିଲ ଆହା

ଦୁଃଖ ଅନ୍ଧକାରମୟ ଦୁର୍ବହ ସଙ୍କଟୁ l

ମନୋଦୁଃଖେ ଯାପୁଥିଲେ ଦିବାନିଶି ଆହା

ଅଶ୍ୱପତି ନରନାହା, ପିତା ତବ, ଦେବି !

ଅପୁତ୍ରକ ହେତୁ, ତବ ଜନନୀ ସହିତେ

ସତୀରାଣି ! (ଫୁଲରାଣୀ ଯଥା କମଳିନୀ)

ଦେଖାଇଲ ତୁମ୍ଭେ ତାଙ୍କୁ ପୁତ୍ର ସୌମ୍ୟ ମୁଖ

ଅନ୍ତକ ପ୍ରସାଦେ, ଧନ୍ୟ ପିତୃବତ୍ସଳତା !

ସ୍ଥାପିଲ ଶାଶ୍ୱତୀ କୀର୍ତ୍ତି ପତିପିତୃକୁଳେ l

ସେ କୀର୍ତ୍ତି ସୁଗନ୍ଧ ତବ ବହି ଗନ୍ଧବହ,

ମହାକାଉଅଛି ସଦା ଭାରତ ଅବନୀ l

ସାବିତ୍ରି ! ପବିତ୍ରି ତୁମ୍ଭେ ପତି ପିତୃକୁଳେ

ପୁଣି ଜନ୍ମଭୂମି ମଦ୍ରଦେଶେ, ଗଲ ଚାଲି

ଭବଧାମୁ ଯଥାକାଳେ, ନିୟତି ନିୟମେ,

କିନ୍ତୁ ଯେଉଁ ନାରୀଧର୍ମ ଗଲ ପ୍ରଦର୍ଶାଇ

ଅମାନୁଷୀ, ରହିଲା ତା ଯୁଗେ ଯୁଗେ ଚିର,

କରିବେ ତାହାକୁ ଶିକ୍ଷା ଦେବୀ, ତପସ୍ୱିନୀ l

ମହିମା ତୁମ୍ଭର ଧନ୍ୟ ଦେବି ! କି ବର୍ଣ୍ଣିବି ତାହା

ନିତାନ୍ତ ଦୁର୍ବଳ ମୋର ନଗଣ୍ୟ ଲେଖନୀ,

ବର୍ଣ୍ଣନେ ଅକ୍ଷମ ଯାହା ସାରସ୍ୱତ ବାଣୀ ।

ମଦ୍ରରାଜକନ୍ୟେ, ନୁହଁ ସାମାନ୍ୟ ମାନବୀ

ତୁମ୍ଭେ, ଶାପଭ୍ରଷ୍ଟା ଦେବୀ କିମ୍ବା ମୂର୍ତ୍ତିମତୀ

ସାବିତ୍ରୀରୂପିଣୀ, ଧନ୍ୟ ଜନନୀ ତୁମ୍ଭର,

ଗର୍ଭେ ଧରି ତୁମ୍ଭ ପରି ସୁକନ୍ୟା-ରତନେ

ହେଲେ ପୂତ, ପୂତ କଲେ ପୁଣି କ୍ଷତ୍ରକୁଳ,

ଧନ୍ୟ ତାଙ୍କ ଗର୍ଭ, ତାହା ମହାମଣି-ଖଣି